ସୁସ୍ଥ ଜୀବନଯାପନ ପାଇଁ ମାଣ୍ଡିଆର ଉପକାରିତା

ପ୍ରାଣୀ ଜଗତରେ ତିଷ୍ଠି ରହିବା ପାଇଁ ହେଲେ ଅନ୍ୟତମ ମୋୖଳିକ ଆବଶ୍ୟକତା ଭାବରେ ଖାଦ୍ୟ ଅପରିହାର୍ଯ୍ୟ । ପିମ୍ପୁଡ଼ି ଠାରୁ ହାତୀ ପର୍ଯ୍ୟନ୍ତ ବିଶ୍ଵର ସମସ୍ତ ସଚରାଚର ପ୍ରାଣୀ ଖାଦ୍ୟ ବିହୁନେ ଜୀବନ ଆଶା କରିବା ନିର୍ବୋଧତା । ଯେତେବେଳେ ସୃଷ୍ଟିର ସର୍ଜନା କରାଯାଇଥିଲା ସେତେବେଳେ ସ୍ରଷ୍ଟା ସୃଷ୍ଟିର ଚତୁଃପାର୍ଶ୍ଵରେ ହାତ ପାଆନ୍ତାରେ ଖାଦ୍ୟ ଉପଯୋଗୀ ଶସ୍ୟ ଓ ଫଳମୂଳ ସୁବନ୍ଦୋବସ୍ତ କରିଦେଇଥିଲେ ।ସେ ଗୁଡ଼ିକ ମଧ୍ୟରୁ ମନୁଷ୍ୟ ଶରୀର ପାଇଁ କେଉଁ ଗୁଡ଼ିକ ଖାଦ୍ୟପଯୋଗୀ ଓ କେଉଁ ଖାଦ୍ୟ ଅନୁପଯୋଗୀ ମୂନୀ ଋଷି ମାନେ ଅନେକ ପରୀକ୍ଷା ନିରୀକ୍ଷା ପରେ ସ୍ଥିର କରିଥିଲେ । ଯାହା ଫଳରେ ଆଜି ସମଗ୍ର ମନୁଷ୍ୟ ସମାଜ ନିଶ୍ଚିନ୍ତରେ ବିଭିନ୍ନ ଫଳ, ମୂଳ, ଗୁଳ୍ମ (ଶାଗ), ଶସ୍ୟ, ପାନୀୟକୁ ଖାଦ୍ୟ ରୂପେ ଗ୍ରହଣ କରି ଚାଲିଛି ।ଆଉ ଏତଦବ୍ୟତୀତ ଯେଉଁ ଗୁଡ଼ିକ ଖାଦ୍ୟ ପାଇଁ ଅନୁପଯୁକ୍ତ ହୋଇ ରହିଗଲା ସେ ଗୁଡ଼ିକ ଅଖାଦ୍ୟର ମାନ୍ୟତା ଲାଭ କଲା । ଅଖାଦ୍ୟକୁ ଯେତେବେଳେ ଏ ଦୂରଦର୍ଶୀ ବିହୀନ ମନୁଷ୍ୟ ସମାଜ ଖାଦ୍ୟ ରୂପେ ଭକ୍ଷଣ କଲା ସେତିକିବେଳେ ସେ ବିଭିନ୍ନ ରୋଗ ଦ୍ଵାରା ସଙ୍କ୍ରମିତ ହେଲା ଓ ମୃତ୍ୟୁର ଶିକାର ହେଲା ।
ପ୍ରଥମେ ପ୍ରଥମେ ମନୁଷ୍ୟ ଜଳଉତ୍ସ ସୁବିଧା ଥିବା ସ୍ଥାନରେ ରହିବା ପାଇଁ ଶ୍ରେୟସ୍କର ମଣିଲେ । ତା’ପରେ ଗମନାଗମନର ସୁବିଧା ହୋଇ ପାରିବା ଅଞ୍ଚଳ ଗୁଡ଼ିକ କ୍ରମେ କ୍ରମେ ଉନ୍ନତ ସ୍ଥିତି ଆଡ଼କୁ ବଢ଼ିବାରେ ଲାଗିଲା। କିନ୍ତୁ, ଯେଉଁ ସ୍ଥାନ ଗୁଡିକ ଅପହଞ୍ଚ ଇଲାକା ହୋଇ ରହିଗଲା , ସେମାନେ ଜଙ୍ଗଲ ଜାତ ଫଳ ମୂଳ ଶସ୍ୟ ଖାଇ ଜୀବନ ଧାରଣ କରିବାକୁ ଚେଷ୍ଟା କଲେ । ସମାଜର ସଭ୍ୟ, ମାର୍ଜିତ , ଉନ୍ନତ ବର୍ଗର ଲୋକମାନେ ଶସ୍ୟ ହିସାବରେ ଚାଉଳ,ଗହମ,ଡାଲିକୁ ଦୈନନ୍ଦିନ ଖାଦ୍ୟ ରୂପେ ଗ୍ରହଣ କରି ଚାଲିଲେ ।ଆଉ ଯେଉଁ ମାନେ ସମାଜର ମୂଖ୍ୟ ସ୍ରୋତ ଠାରୁ ଦୂରରେ ରହିଲେ ସେମାନେ ଧିରେ ଧିରେ ମାଣ୍ଡିଆ, କାଙ୍ଗୁ, କୁଇରି, ସୁଆଁ, ଯଅ, ବାଜରା ପ୍ରଭୃତି ଶସ୍ୟକୁ ଖାଦ୍ୟ ଉପଯୋଗୀ କରି ଖାଇବାକୁ ଉଚିତ୍ ମନେ କଲେ । କ୍ରମେ କ୍ରମେ ଯେତେବେଳେ ଉନ୍ନତ ସମାଜର ସଭ୍ୟବୃନ୍ଦ ଅପହଞ୍ଚ ଇଲାକାର ମୂଳ ଅଧିବାସୀ ଗ୍ରହଣ କରୁଥିବା ଉପରୋକ୍ତ ଖାଦ୍ୟ ବିଷୟରେ ଅବଗତ ହେଲେ, ସେତେବେଳେ ସଭ୍ୟ ସମାଜ ଏହାକୁ ସହଜରେ ଗ୍ରହଣ କରି ପାରିଲା ନାହିଁ । ଏମିତିକି “ଅନ୍ନ ” ତାଲିକାରେ ମଧ୍ୟ ସ୍ଥାନିତ କଲାନାହିଁ । ବ୍ରିଟିଶ ଶାସନ କାଳରେ ସଙ୍କଳିତ ଓଡ଼ିଆ ଭାଷାର ବୃହତ୍ତମ ଅଭିଧାନ ପୂର୍ଣ୍ଣ ଚନ୍ଦ୍ର ଭାଷାକୋଷରେ ମାଣ୍ଡିଆ ଜାତୀୟ ଫସଲକୁ “ବିଦନ୍ନ ” ବା ନିକୃଷ୍ଟ ସ୍ତରର ଖାଦ୍ୟ ବୋଲି ଅଭିହିତ କରାଯାଇଛି ।
କିନ୍ତୁ, ଆଜି ସମୟର ସ୍ରୋତରେ ସେହି ଉନ୍ନତ ସଭ୍ୟ ସମାଜର ମନୋଭାବ ବଦଳି ଯାଇଛି । ଯାହାକୁ ବିଦନ୍ନ ବା ନିକୃଷ୍ଟ ସ୍ତରର ଖାଦ୍ୟଶସ୍ୟ ବୋଲି ଧରି ନେଇ ଥିଲା ।

 

ତାହାକୁ ଶସ୍ୟ ତାଲିକାର ଶୀର୍ଷ ସ୍ଥାନ ଦେବାକୁ ପଛଘୁଞ୍ଚା ଦେଲାନାହିଁ । ଶେଷକୁ ବାସ୍ତବତା ଆଗରେ ନିଜ ଅହଙ୍କାରକୁ ପରିତ୍ୟାଗ କଲା । ମାଣ୍ଡିଆକୁ ଦିନେ ଅତି ବେଶୀରେ ଔଷଧ ବା ପଥ୍ୟ ହିସାବରେ ଗ୍ରହଣ କରୁଥିବା ମନୁଷ୍ୟ ଆଜି ତାହାକୁ ଛାଡ଼ି ଜୀବନ ରକ୍ଷାକାରୀ ଖାଦ୍ୟ ରୂପେ ଆପଣେଇ ନେବାକୁ ଆହ୍ବାନ ଦେଲାଣି ।
ମାଣ୍ଡିଆ ଆଜି ସମସ୍ତଙ୍କ ପାଇଁ ସୁପରିଚିତ ନାମ ଟିଏ ହୋଇଥିଲେ ମଧ୍ୟ ସବୁ ହାଣ୍ଡିଶାଳରେ ଏ ଯାଏଁ ପହଞ୍ଚିପାରି ନାହିଁ । ତାହାର ଏକମାତ୍ର କାରଣ ଦେଖିବାକୁ ଗଲେ ଏଥି ପ୍ରତି ସଚେତନତାର ଅଭାବ, ଏହି ଖାଦ୍ୟ ପ୍ରତି ଆକୃଷ୍ଟ ନ ହେବା ମୂଖ୍ୟ କାରଣ ହୋଇପାରେ । ଆଜି ଆମେ ଅଣପାରମ୍ପରିକ ଖାଦ୍ୟ ପ୍ରତି ଆମର ଜିହ୍ୱା ଳାଳସା ବଢ଼ି ଯାଇଛି ।ଆଉ ପାରମ୍ପରିକ ଖାଦ୍ୟକୁ ପୁରୁଣା କାଳିଆ ବୋଲି ଧରି ନେଇଛୁ । ରାସାୟନିକ ସାରରେ ପ୍ରସ୍ତୁତ , ଉତ୍ପାଦିତ ଓ ଅପମିଶ୍ରିତ ଖାଦ୍ୟକୁ ଭକ୍ଷଣ କରି ଆଜି ମନୁଷ୍ୟ ସମାଜ ମଧୁମେହ, ମେଦବହୁଳତା, ଅମ୍ଳପିତ , ହୃଦରୋଗ ଭଳି ଦୂରାରୋଗ୍ୟ ବ୍ୟାଧିଗ୍ରସ୍ତ ହେଉଛି । ସାଧାରଣତଃ, ପାହାଡିଆ, ଢାଲୁ ପଦର ଅଞ୍ଚଳରେ ଏକ ପ୍ରକାର ଅଯତ୍ନର ସହିତ ରାସାୟନିକ ସାର ଓ କୀଟନାଶକ ଔଷଧ ପ୍ରୟୋଗ ବିନା ଏ ସବୁ ଚାଷ କରାଯାଉଛି । ତେଣୁ ଏହି ଶସ୍ୟରେ ବିଭିନ୍ନ ଅସଲି ଖାଦ୍ୟସାର (ଭିଟାମିନ) ଭରି ରହିଛି । କ୍ୟାଲସିୟମ, ପ୍ରୋଟିନ, କାର୍ବୋହାଇଡ୍ରେଟ, ଆଇରନ,ଫ୍ୟାଟ,ଆମିନୋଏସିଡ ଭରି ରହିଛି । ଏହା ଖାଇବା ଦ୍ଵାରା ହାଡ଼ ଜନିତ ରୋଗ ଦୂର ହେବା ସହିତ ମଜଭୁତ ହୋଇଥାଏ ।ଦାନ୍ତ ଶକ୍ତ ହୁଏ। ମାନସିକ ଚାପ ଦୂର ହୁଏ ।ରୋଗ ପ୍ରତିରୋଧକ ଶକ୍ତି ( IMMUNITY POWER) ବହୁ ମାତ୍ରାରେ ବୃଦ୍ଧି ଘଟିଥାଏ ।ବହୁମୁତ୍ର ରୋଗ ,ଥାଇରଏଡ଼ ରୋଗ ଦୂରେଇ ପାରିବା ସହିତ କୋଷ୍ଠକାଠିନ୍ୟ ବି ଦୂର ହୋଇଥାଏ ।


କିନ୍ତୁ, ବିଡ଼ମ୍ବନାର ବିଷୟ ଆଧୁନିକ ସମାଜ ଏ‌ହାକୁ ଗ୍ରହଣ କରିବା ପାଇଁ ମାନସିକ ଭାବରେ ପ୍ରସ୍ତୁତ ହେଉଥିବା ବେଳେ ମୂଳ ଅଧିବାସୀ ମାନେ ଏହାକୁ ଦୂରେଇ ଦେଉଛନ୍ତି । ଉତ୍ପାଦିତ ଶସ୍ୟକୁ ବଜାରରେ ବିକ୍ରି କରି ଲାଭବାନ ହେଉଛନ୍ତି ସତ କିନ୍ତୁ ଚାଓମିନ କିଣି ଘରକୁ ନେଉଛନ୍ତି। ଯେମିତି ନିଜ ଘରର ଦେଶୀ କୁକୁଡ଼ାକୁ ବିକ୍ରୟ କରି ତା ବଦଳରେ ବ୍ରଏଲର କିଣି ଖାଉଛନ୍ତି ଏହା ବିଶ୍ଵାସ ନ ହେଲେ ବି ସତ୍ୟ ।ମାଣ୍ଡିଆକୁ ସର୍ବଜନାଦୃତ କରିବାକୁ ଯାଇ ରାଜ୍ୟ ସରକାର ଏହାକୁ ସୁଲଭ ଦୋକାନ ମାଧ୍ୟମରେ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କଲେଣି । ଯେଉଁ ମାନେ ସ୍ବାସ୍ଥ୍ୟ ପ୍ରତି ସଚେତନ ସେମାନେ ଏହି ଶସ୍ୟ ପ୍ରତି ଆଗ୍ରହୀ ଓ ଆକୃଷ୍ଟ ହେଲେଣି । କେତେକ ବିସ୍କୁଟ ଶିଳ୍ପ ମଧ୍ୟ ମାଣ୍ଡିଆ ବିସ୍କୁଟ ତିଆରି କରି ବଜାରରେ ଉପଲବ୍ଧ କରାଇ ସାରିଲେଣି । ମଧୁମେହ ରୋଗ ଦୂର କରିବା ପାଇଁ ଏହି ବିସ୍କୁଟ ଅତି ଉପାଦେୟ ବୋଲି ମଧ୍ୟ ସେମାନେ ପକେଟ୍ ଉପରେ ଉଲ୍ଲେଖ କରୁଛନ୍ତି ।
ମାଣ୍ଡିଆକୁ ଚୂନା କରି ମାଣ୍ଡିଆ ଖିରି, ଲଡୁ,ହାଲୁଆ, ରୁଟି,ସୁପ୍, ଆରିସା ପିଠା ଚକୁଳି ଆମେ ଖାଇ ପାରିବା । ନୂତନ ପିଢ଼ିକୁ ଏହି ଖାଦ୍ୟ ର ସ୍ଵାଦ ରୁଚିକର ହେଉନାହିଁ ।ଆମ ଭାରତୀୟ ସଂସ୍କୃତିର ଖାଦ୍ୟକୁ ଗୋଡ଼ରେ ଆଡ଼େଇ ଦେଇ ପାଶ୍ଚାତ୍ୟ ସଂସ୍କୃତିର ଖାଦ୍ୟକୁ କୋଳାଗ୍ରତ କରି ଆମେ ନିଜକୁ ଗର୍ବିତ ଓ ଆଭିଜାତ୍ୟ ସମ୍ପର୍ଣ୍ଣ ବୋଲି ମନେ କରୁଚୁ । ଦୁଃଖର କଥା ଯେ ବିଦେଶର ବର୍ଜିତ ଖାଦ୍ୟ ଓ ମୃଦୁ ପାନୀୟ ,ଫାଷ୍ଟଫୁଡ ଓ ସଂରକ୍ଷିତ (ପ୍ୟାକେଡଫୁଡ) ଖାଦ୍ୟ ଖାଇବା ପାଇଁ ଆମେ ଅତ୍ୟନ୍ତ ଉତ୍ସାହିତ ହେଉଛୁ ।ଆଉ ପରିଶେଷରେ ବ୍ୟାଧିଗ୍ରସ୍ତ ହେଉଛୁ ।ଆଉ ଆମ ପାରମ୍ପରିକ ଖାଦ୍ୟଶସ୍ୟ ,ଆଖୁରସ ଭଳି ଅନେକ ଖାଦ୍ୟ ପାନୀୟକୁ ବିଦେଶର ଲୋକ ମାନେ ଅତି ଆନନ୍ଦରେ ଗ୍ରହଣ କରି ସେମାନେ ଭାରତୀୟଙ୍କ ପ୍ରଶଂସକ ପାଲଟିଗଲେଣି ।ଆମ ସଂସ୍କୃତିକୁ ଆପଣେଇ ନେଲେଣି ।ଅଥଚ ଆମେ ଶିକ୍ଷିତ ହୋଇ ଦିନକୁ ଦିନ ରସାତଳ ଗାମୀ ହେବାକୁ ବସିଲେଣି ।


ଆମ ପୂର୍ବ ପିଢ଼ି ଯଥା ବାପା ମାଆ, ଜେଜେ ବାପା ମାଆ ମାନେ ଖାଇଥିବା ଖାଦ୍ୟରେ ରୋଗ ପ୍ରତିରୋଧକ ଶକ୍ତି ଅସଲି ଖାଦ୍ୟସାର ଖାଇଥିବା ଦ୍ଵାରା ସେମାନଙ୍କ ମୂଳଦୁଆ ଅଧିକ ଶକ୍ତିଶାଳୀ । ତେଣୁ, ସେମାନେ ଦିର୍ଘାୟୁ ହେଉଥିଲେ । କିନ୍ତୁ,ଆମ ମୂଳଦୂଆ ଅପେକ୍ଷାକୃତ ଭାବେ ଦୁର୍ବଳ । ତେଣୁ ଆମେ ଅଳ୍ପାୟୁଷ ହେବାକୁ ବସିଲେଣି । ଏଣୁ ଘରର ମୁରବୀ ଖାଇବା ଆରମ୍ଭ କରନ୍ତୁ ବଳେ ବଳେ ସନ୍ତାନ ସନ୍ତତି ଖାଇବା ଶିଖିବେ ଏଥିରେ ସନ୍ଦେହ ନାହିଁ । କାରଣ ବାନ୍ଧିଲା ଘୋଡ଼ା ଦିନେ ନା ଦିନେ ଘାସ ଖାଇବାକୁ ନିଶ୍ଚିତ ଶିଖିବ ।
– ଦିଲ୍ଲୀପ କୁମାର ସାହୁ, ଦାରିଙ୍ଗବାଡି

Leave a Reply

Your email address will not be published. Required fields are marked *