ଏକବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ସମଗ୍ର ବିଶ୍ୱ ପାଇଁ ବିପଦ ସାବ୍ୟସ୍ତ ହୋଇଛି । ସମ୍ଭାବ୍ୟ ଜୈବିକ ଅସ୍ତ୍ର ହେଉ ଅବା ସଙ୍କ୍ରମିତ ଭୁତାଣୁ ଆଜି ସମଗ୍ର ବିଶ୍ବକୁ କାୟା ବିସ୍ତାର କରିଛି । ହଜାର ହଜାର ଅମୂଲ୍ୟ ଜୀବନକୁ ମରଣ ମୁହଁକୁ ଠେଲି ଦେଇଛି ।ଲକ୍ଷ ଲକ୍ଷ ଆକ୍ରାନ୍ତ ଆଜି ମରଣର ଦ୍ଵାର ଦେଶରେ । ଅଜଣା ରୋଗ, ଭୟ ଓ ଆଶଙ୍କାରେ ସମଗ୍ର ମନୁଷ୍ୟ ସମାଜ ଆଜି ଥରହର । ତଥାପି ଏ ଦୁର୍ଦ୍ଦିନରେ ଦେଶବ୍ୟାପୀ ସାମୁହିକ ଲଢ଼େଇ ପାଇଁ ଦେଶ ଆଜି ଆହ୍ବାନ ଦେଲାଣି । ସର୍ବଧର୍ମ, ସମନ୍ୱୟ, ଆଧ୍ୟାତ୍ମିକ ଚିନ୍ତା ଚେତନା , ଶାନ୍ତି, ଅହିଂସା ,ବସୁଧୈବ କୁଟୁମ୍ବକମ୍ ଉପରେ ଅହେତୁକ ବିଶ୍ଵାସ କରି ଏ ଯାଏଁ ଚାଲି ଆସିଥିବା ଭାରତର ଇତିହାସ ସର୍ବ ପୁରାତନ । ବିଶ୍ଵବାସୀଙ୍କ ଦ୍ଵାରା ଆଦୃତ ହେଲା ଭଳି ଭାରତର ଆଧ୍ୟାତ୍ମିକ ସଂସ୍କୃତିର ଝଲକ କାହାକୁ ଅଛପା ହୋଇ ରହିନାହିଁ । ସେହି ପରମ୍ପରା, ଆଧ୍ୟାତ୍ମିକ ଶକ୍ତି , ଭାରତର ଅହିଂସା ନୀତି, ଶାନ୍ତିରେ ବିଶ୍ଵାସ ଦିନେ ନା ଦିନେ ଭାରତକୁ ବିଶ୍ଵବିଜୟୀ କରାଇବ – ଏହା ନିଃସନ୍ଦେହ ।
କଳେବଳେ କୌଶଳେ (BY HOOK OR CROOK) କଳକୁ ଲଗାଇ ହେଉ ବା ବଳକୁ କରୋନାକୁ ହରାଇବାକୁ ସଙ୍କଳ୍ପବୋଧ ହେବାକୁ ପଡ଼ିବ । ସରକାରଙ୍କ ମାର୍ଗଦର୍ଶକକୁ ଅନୁସରଣ କରିବା ପାଇଁ ପଡ଼ିବ । ବିଶ୍ଵାସ ରହିଛି “ନରମୁଖେ ନାରାୟଣ” । ତେଣୁ ଏକଜୁଟ ହେବା ଏକାନ୍ତ ଆବଶ୍ୟକ ।ଆମ ଦେଶର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଗାମୀ ୫ ତାରିଖ ରବିବାର ଦିନ ଭାରତର ଆଧ୍ୟାତ୍ମିକ ଭୁଖଣ୍ଡରେ ସନ୍ଧ୍ୟା ୯ ରୁ ୯ ଟା ୯ ମିନିଟ ପର୍ଯ୍ୟନ୍ତ ୯ ମିନିଟ୍ ଧରି ସାମୁହିକ ପ୍ରାର୍ଥନା କରିବା । ସମସ୍ତଙ୍କୁ ଉତ୍ସାହିତ କରିବା । ରାସ୍ତାକୁ ବାହାରିବା ନାହିଁ । ସାମାଜିକ ଦୂରତା ବଜାୟ ରଖିବା ଲକଡାଉନ ଭାଙ୍ଗିବା ନାହିଁ।ନିଜ ନିଜ ଘର ସମ୍ମୁଖରେ ଫାଟକ ଭିତରେ ,ବାଲକୋନିରେ ରହି ଅଦୃଶ୍ୟ ଶକ୍ତିର କୁପ୍ରଭାବକୁ ବିନାଶ ନିମନ୍ତେ ଦୀପ, ମହମବତୀ, ଜାଳିବା ସହିତ ଆବଶ୍ୟକ ସ୍ଥଳେ ଟର୍ଚ୍ଚ ଲାଇଟ୍, ସେଲଫୋନର ଫ୍ଲାସ ଲାଇଟ୍ ଗୁଡ଼ିକୁ ୯ ମିନିଟ୍ ଧରି ଜାଳିବା । ଦେଶବ୍ୟାପୀ ୧୩୦ କୋଟି ଜନତା ଏଥିରେ ଭାଗନେବେ । ଏହି ସମୟରେ ଘର ବାହାର ରାସ୍ତାର ଲାଇଟ୍ ବନ୍ଦ ରଖିବା । ଆଲୋକର ଦୈନନ୍ଦିନ ଉତ୍ସକୁ ୯ ମିନିଟ୍ ପାଇଁ ବନ୍ଦ କରିବା ।କାରଣ ଆମେ ଜାଳିଥିବା ଆଲୋକର ପ୍ରଭାବରେ ଆକାଶର ଉପରଭାଗ ଆଲୋକିତ ହୋଇ ଉଠିବ। ଫଳରେ ଏହି ଆଲୋୖକିକ ଶକ୍ତି ହିଁ ଆମ ସଂସାର ଉପରେ ଘୋଢାଇ ରଖିଥିବା ଅଦିନିଆ ବିପଦ ରୂପି ଅନ୍ଧକାରକୁ ଦୂରେଇ ପାରିବ । ସାମୁହିକ ପ୍ରାର୍ଥନା ଦେଶବାସୀଙ୍କ ଏକତ୍ରୀକରଣ ମନୋବଳକୁ ବହୁଗୁଣିତ କରିବ ।
ଆଜି ମାନବ ସମାଜ ପାଇଁ ଗୋଟିଏ ବିପଦ ମାଡ଼ି ଆସିଛି । ଧୈର୍ଯ୍ୟର ସହିତ ଏହାକୁ ମୁକାବିଲା କରିବା ପାଇଁ ପଡ଼ିବ । ନିଜକୁ, ନିଜ ପରିବାରକୁ, ନିଜ ଗାଁକୁ, ନିଜ ସହରକୁ ,ନିଜ ରାଜ୍ୟକୁ, ପରିଶେଷରେ ଆମ ନିଜ ଦେଶ, ପୃଥିବୀକୁ ବଞ୍ଚାଇବାକୁ ପଡ଼ିବ । ନିଜକୁ ଜଣେ ଜଣେ ଯୋଦ୍ଧା ହିସାବରେ ଅବତୀର୍ଣ୍ଣ ହେବାକୁ ପଡ଼ିବ । କାରଣ ଅଖ ବୁଲୁଥିଲେ ଚକ ବୁଲୁଥାଇ ବୁଲିପଡୁଥାଏ ଅହି, ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି । ଦୁଃଖ ପରେ ସୁଖ , ଅନ୍ଧାର ପରେ ଆଲୋକ , ଶୁପ୍ତ ପରେ ଜାଗ୍ରତ ଏହା ଚିରାଚରିତ ଢଙ୍ଗରେ ଦିନେ ନିଶ୍ଚିତ ଫେରି ଆସିବ । ଖାଲି ଟିକିଏ ଦରକାର ଧୈର୍ଯ୍ୟ, ସାହସ ଆଉ ଶେଷରେ ଅପେକ୍ଷା… । ବାସ୍ ତାପରେ ବିଜୟର ସ୍ବାଦ ଚାଖିଲା ପରେ ଯେତେବେଳେ ପଡ଼ୋଶୀ ଦେଶର ନାଗରିକ ପଚାରିବେ ତମେ ଭାରତୀୟ ମାନେ କ’ଣ କଲ , କ’ଣ ତୁମ ମାନଙ୍କ ପାଖରେ ଏମିତି ଶକ୍ତି ଥିଲା ଯେ ତମେ ଏ ଯୁଦ୍ଧରେ ବିଜୟୀ ହେଲ । ଚିନ୍ତା କରନ୍ତୁ ଜଣେ ଜଣେ ଯୋଦ୍ଧା ହିସାବରେ ସେତେବେଳେ ତୁମର ଛାତି କୁଣ୍ଢେମୋଟ ହୋଇଯିବନି ତ ?
– ଦିଲ୍ଲୀପ କୁମାର ସାହୁ, ଦାରିଙ୍ଗବାଡି ।
ସାମୁହିକ ଲଢ଼େଇ ” ଏପ୍ରିଲ-୫ ରାତି ୯ ରୁ ୯ଟା ୯” ହାରିବ କୋରନା – ଜିତିବ ଭାରତ
